ଅର୍ଦ୍ଧଦଗ୍ଧ ହୋଇ ଚିକିତ୍ସିତ ହେଉଥିବା ବେଳେ ପାରଳା ଏସିଏଫଓଙ୍କ ମୃତ୍ୟୁ
ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫଓ) ସୌମ୍ୟରଞ୍ଜନ ମହାପାତ୍ର ଗତକାଲି ରାତିରେ ଅର୍ଦ୍ଧଦଗ୍ଧ ହୋଇ ପାରଳାଖେମୁଣ୍ଡି ସରକାରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଅତ୍ୟନ୍ତ ଗୁରୁତର ଥିବା ଯୋଗୁଁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ସେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ, ଗତକାଲି ରାତିରେ ସହକାରୀ ବନ ସଂରକ୍ଷକ(ଏସିଏଫଓ) ସୌମ୍ୟରଞ୍ଜନ ମହାପାତ୍ର କୌଣସି କାରଣରୁ ୮୦ପ୍ରତିଶତ ଶରୀର ପୋଡି ହୋଇ ପାରଳାଖେମୁଣ୍ଡି ସରକାରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । କିଛି ସମୟ ପରେ ପାରଳା ଡିଏଫଓ ସଂଗ୍ରାମ କେଶରୀ ବେହେରା, ଏସିଏଫଓ ଗୌରୀ ପ୍ରସାଦ ରଥ, ପାରଳା ତହସିଲଦାର ଅଚ୍ୟୁତାନନ୍ଦ ଜାନୀ,ପାରଳା ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁ ପ୍ରମୁଖ ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ । ପାରଳା ଡାକ୍ତରଖାନାରେ ଚିକିତ୍ସିତ ବେଳେ ସୌମ୍ୟରଞ୍ଜନ ବୟାନ ଦେଇଛନ୍ତି ଯେ, ବିଭାଗୀୟ ଫାଇଲକୁ ସରକାରୀ ବାସଭବନରେ ଚାଲି ଚାଲି ଦେଖୁଥିବା ବେଳେ ଅନ୍ୟମନସ୍କ ହୋଇ ଘରେ ଥିବା କିରୋସିନ ଡବାକୁ ଗୋଡ ବାଜି ତଳେ ପଡିଯାଇଥିଲେ । ପାଖରେ ନିଆଁ ଥିବାରୁ ଦେହରେ ନିଆଁ ଲାଗିଯାଇଥିଲା । ପାରଳା ଥାନା ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କୁ ଏହି ଘଟଣା ନେଇ ପଚାରିବାରେ ସୌମ୍ୟରଞ୍ଜନଙ୍କ ଏହି ବୟାନକୁ ରେକର୍ଡ କରାଯାଇଥିବା କହିଛନ୍ତି । ୮୦ପ୍ରତିଶତ ଶରୀର ପୋଡି ଅତ୍ୟନ୍ତ ଗୁରୁତର ହେବାରୁ ଚିକିତ୍ସା ଦାୟିତ୍ୱରେ ଥିବା ପାରଳା ଡାକ୍ତରଖାନାର ଡାକ୍ତର ଜରୁରୀ ଚିକିତ୍ସା ପାଇଁ କୌଣସି ବଡ ଡାକ୍ତରଖାନାକୁ ନେବାପାଇଁ ପରାମର୍ଶ ଦେଇଥିଲେ । ତେଣୁ ତାଙ୍କୁ ଗତକାଲି ରାତିରେ ପ୍ରଥମେ ବ୍ରହ୍ମପୁର ବଡ ଡାକ୍ତରଖାନା ଓ ପରେ କଟକ ଅଶ୍ୱିନୀ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । କଟକ ଅଶ୍ୱିନୀ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଏଠାରେ ସୂଚନା ଯୋଗ୍ୟ, ସୌମ୍ୟରଞ୍ଜନ ଗତ କିଛି ମାସ ତଳେ ବିବାହ କରିଥିଲେ । ବିବାହ ପର ଠାରୁ ନବ ବିବାହିତା ସ୍ତ୍ରୀଙ୍କ ସହ ନିଜ ପାରଳା ସରକାରୀ ବାସଭବନରେ ରହି ଆସୁଥିଲେ ।